ଖଣ୍ଡବାକ୍ୟ ଓ ବାକ୍ୟାଂଶ
ବାକ୍ୟାଂଶ – ସମାପିକା କ୍ରିୟାବିହୀନ କେତେକ ପଦସମଷ୍ଟି ଦ୍ୱାରା ଗୋଟିଏ ଅର୍ଥ
ପ୍ରକାଶିତ ହେଉଥିଲେ ହେଁ ପୂର୍ଣ୍ଣ ମନୋଭାବ ପ୍ରକାଶିତ ନ ହେଲେ ତାହାକୁ ବାକ୍ୟାଶ
( Phrase ) କହନ୍ତି । ଯଥା –
କୁଳପାବନ ପୁତ୍ର, ପାଣିରେ ବୁଡ଼ି ଯାଉଥିବା, ଦିଗଦିଗନ୍ତ ବିସ୍ତାରିତ, ଅତି ପ୍ରତ୍ୟୁଷରେ ।
ବାକ୍ୟାଂଶ ତିନି ପ୍ରକାରର ହୋଇପାରେ । ଯଥା-ବିଶେଷ୍ୟସ୍ଥାନୀୟ, ନାମବିଶେଷଣୀୟ
ଓ କ୍ରିୟାବିଶେଷଣୀୟ ।
(୧) ସମାପିକା କ୍ରିୟାବିହୀନ ପଦସମଷ୍ଟି ବିଶେଷ୍ୟର କାର୍ଯ୍ୟ କରୁଥିଲେ ତାହାକୁ ‘ବିଶେଷ୍ୟସ୍ଥାନୀୟ
ବାକ୍ୟାଂଶ’ ( Noun phrase ) ବୋଲାଯାଏ । ବିଶେଷ୍ୟସ୍ଥାନୀୟ ବାକ୍ୟାଂଶ ଠିକ୍ ବିଶେଷ୍ୟ ପରି
ବ୍ୟବହୃତ ହୁଏ । ଯଥା -
(କ) ତୁମ୍ଭର ଏଇ ଅଯାଚିତ ସାହାଯ୍ୟ ନିମନ୍ତେ ଧନ୍ୟବାଦ ଅର୍ପଣ କରୁଅଛି ।
(ଖ) ସୁଦୂରବାହିନୀ ନଦୀଗଣ ଜଳର ମହିମାଗାନ କରୁଛନ୍ତି ।
(୨) ସମାପିକା କ୍ରିୟାବିହୀନ ପଦସମଷ୍ଟି ନାମବିଶେଷଣର କାର୍ଯ୍ୟ କରୁଥିଲେ ତାହାକୁ
‘ନାମବିଶେଷଣୀୟ ବାକ୍ୟାଂଶ’ (Adjective Phrase) ବୋଲାଯାଏ । ଯଥା –
(କ) ପତିବିରହ-ବିଧୂରା ସତୀ ସୀତାଙ୍କର ଦୁର୍ଦ୍ଦଶାରେ ବୃକ୍ଷପତ୍ର ସୁଦ୍ଧା ସହାନୁଭୂତି ପ୍ରକାଶ କଲେ ।
(ଖ) ଅଟ୍ଟାଳିକାମାନଙ୍କର ଶୀର୍ଷଦେଶରେ ଉଡ୍ଡୀୟମାନ ପତାକାଚୟ ଦୂରରୁ ପଥିକମାନଙ୍କର ଦୃଷ୍ଟି
ଆକର୍ଷଣ କରୁଥିଲା ।
(୩) ସମାପିକା କ୍ରିୟାବିହୀନ ପଦସମଷ୍ଟି କ୍ରିୟାବିଶେଷଣର କାର୍ଯ୍ୟ କରୁଥିଲେ, ତାହାକୁ
‘କ୍ରିୟାବିଶେଷଣୀୟ ବାକ୍ୟାଶ' (Adverbial Phrase) ବୋଲାଯାଏ । ଯଥା –
(କ) ସେ ନିତାନ୍ତ ମନୋଦୁଃଖରେ ଗୃହତ୍ୟାଗ କଲେ ।
(ଖ) ସେ ଅତ୍ୟନ୍ତ ମନୋଯୋଗ ସହକାରେ ଅଧ୍ୟୟନ କରୁଛି । '
ଖଣ୍ଡବାକ୍ୟ – କେତେକ ପଦର ସମଷ୍ଟିରେ କର୍ତ୍ତା ଓ ସମାପିକା କ୍ରିୟା ଥାଇ ସୁଦ୍ଧା ପୂର୍ଣ୍ଣ
ମନୋଭାବ ପ୍ରକାଶିତ ନ ହେଲେ ଏବଂ ସେହି ପଦସମଷ୍ଟି ଗୋଟିଏ ବୃହତ୍ତର ବାକ୍ୟର ଅଂଶ
ହୋଇଥିଲେ ତାହାକୁ ‘ଖଣ୍ଡବାକ୍ୟ’ ( Clause ) ବୋଲାଯାଏ । ଯଥା –
(କ) ଏପରି ଅନେକ ବ୍ୟକ୍ତି ଅଛନ୍ତି, ସେମାନେ ଆପଣାକୁ ଉତ୍କଳୀୟ ବୋଲି
ପରିଚୟ ଦେବାକୁ କୁଣ୍ଠିତ ।
(ଖ) ତୁମ୍ଭେ କ’ଣ ଜାଣିନାହଁ ଯେ, ସେ ବହୁକାଳରୁ ଗୃହତ୍ୟାଗୀ ହେଲେଣି :?
(ଗ) ରାମ ଯେତେ ବେଳେ ଅଯୋଧ୍ୟା ପରି ତ୍ୟାଗ କରି ବନକୁ ଗଲେ,
ସେତେବେଳେ ସମସ୍ତେ ହାହାକାର କଲେ ।
ବାକ୍ୟାଂଶ ପରି ଖଣ୍ଡବାକ୍ୟ ମଧ୍ୟ ତ୍ରିବିଧ - ବିଶେଷ୍ୟାତ୍ମକ, ନାମବିଶେଷଣାତ୍ମକ ଓ କ୍ରିୟା
ବିଶେଷଣାତ୍ମକ ।
ଖଣ୍ଡବାକ୍ୟକୁ ଉପାଦାନ ବାକ୍ୟ, ଉପବାକ୍ୟ, ଆନୁଷଙ୍ଗିକ ବାକ୍ୟ ମଧ୍ୟ କୁହାଯାଇଥାଏ ।
(୧) ଯେଉଁ ଖଣ୍ଡବାକ୍ୟ ବିଶେଷ୍ୟର କାର୍ଯ୍ୟକରେ, ତାହା ‘ବିଶେଷ୍ୟାତ୍ମକ ଖଣ୍ଡବାକ୍ୟ” |
(Noun Clause) । ଯଥା – କିଏ ଜାଣିଥିଲା ଅକାଳରେ ବଜ୍ରପାତ ହେବ ?
ବଡ଼ ଅକ୍ଷର ଥିବା ଖଣ୍ଡବାକ୍ୟଟି ଗୋଟିଏ ବିଶେଷ୍ୟ ପଦର କାର୍ଯ୍ୟ କରୁଅଛି । ଏହା -
‘ଜାଣିଥିଲା’ କ୍ରିୟାର କର୍ମପଦ ରୂପେ ବ୍ୟବହୃତ ।
(୨) ଯେଉଁ ଖଣ୍ଡବାକ୍ୟ ନାମ ବିଶେଷ୍ୟର କାର୍ଯ୍ୟ କରେ, ତାହା ‘ନାମବିଶେଷଣାତ୍ମକ
ଖଣ୍ଡବାକ୍ୟ (Adjective Clause) |
ଉଦାହରଣତଃ - (କ) ଯେଉଁମାନେ ମଠରେ ଖାଆନ୍ତି, ସେମାନେ ଚାଉଳ ଦର କାହୁଁ ଜାଣିବେ ?
(ଖ) ଯେଉଁମାଳେ ଆଳସ୍ୟରେ କାଳକ୍ଷେପଣ କରନ୍ତି, ସେମାନଙ୍କ ଜୀବନ ବୃଥା ।
ପ୍ରଥମ ଉଦାହରଣରେ ବଡ଼ ଅକ୍ଷରରେ ଥିବା ଖଣ୍ଡବାକ୍ୟଟି ‘ସେମାନେ ଏହି ସର୍ବନାମ ପଦକୁ
ବିଶେଷିତ କରୁଅଛି ଏବଂ ଦ୍ୱିତୀୟ ଉଦାହରଣରେ ବଡ଼ ଅକ୍ଷରର ଖଣ୍ଡବାବ୍ୟଟି ସେମାନଙ୍କ ଏହି
ସର୍ବନାମ ପଦକୁ ବିଶେଷିତ କରୁଅଛି । ତେଣୁ ଏ ଦୁହେଁ ନାମବିଶେଷଣାତ୍ମକ ଖଣ୍ଡବାକ୍ୟ ।
(୩) ଯେଉଁ ଖଣ୍ଡବାକ୍ୟ କ୍ରିୟାବିଶେଷଣର କାର୍ଯ୍ୟ ସାଧନ କରେ, ତାହା ‘କ୍ରିୟାବିଶେଷଣାତ୍ମକ
ଖଣ୍ଡବାକ୍ୟ” (Adverbial Clause) । ଯଥା :
ସେ ଯେତେବେଳେ ଆସି ଗ୍ରାମରେ ପହଞ୍ଚିଲେ, ସେତେବେଳେ ମୁଁ ଘରେ ନ ଥିଲି ।
ବଡ଼ ଅକ୍ଷରର ଅଂଶଟି ଗୋଟିଏ କ୍ରିୟାବିଶେଷଣର କାର୍ଯ୍ୟ କରୁଅଛି । ଏହି ଖଣ୍ଡବାବ୍ୟଟି ‘ନ
ଥିଲି କ୍ରିୟାର କାଳ ପ୍ରକାଶ କରୁଅଛି । ତେଣୁ ଏହା ଗୋଟିଏ କ୍ରିୟାବିଶେଷଣାତ୍ମକ ଖଣ୍ଡବାକ୍ୟ । ।
ଖଣ୍ଡବାକ୍ୟ ଓ ବାକ୍ୟାଂଶ - ଉଭୟେ ବିଶେଷ୍ୟ, ନାମ ବିଶେଷଣ ବା କ୍ରିୟାବିଶେଷଣର କାର୍ଯ୍ୟ
କରିପାରନ୍ତି । ଏହି ଦୁହିଁଙ୍କ ମଧ୍ୟରେ ପ୍ରଭେଦ ଏହି ଯେ, ବାକ୍ୟାଂଶରେସମାପିକା କ୍ରିୟା ନ ଥାଏ;
କିନ୍ତୁ 'ଖଣ୍ଡବାକ୍ୟରେ ସମାପିକା କ୍ରିୟା ଥାଏ ।