୧୯୮୪ ମସିହାର କଥା । ଭାରତର ପ୍ରଥମ ମହାକାଶଚାରୀ ଶ୍ରୀ ରାକେଶ ଶର୍ମା ମହାକାଶକୁ ଯାତ୍ରା କରିଥାନ୍ତି | ସେହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ | ସେ ଶ୍ରୀ ଶର୍ମାଙ୍କୁ ପଚାରିଲେ, "ଆମ ଦେଶ ଭାରତ ମହାକାଶରୁ କିପରି ଦିଶୁଛି" । ସେ ସୁନ୍ଦର ଉତ୍ତର ଦେଇଥିଲେ “ସାରେ ଜହାଁ ସେ ଅଚ୍ଛା" ଅର୍ଥାତ ମୋ ଦେଶ ଦୁନିଆରେ ସବୁଠୁ ସୁନ୍ଦର । ଏହା ଉର୍ଦ୍ଦୁ ଭାଷାର ଅତି ପ୍ରସିଦ୍ଧ କବିତା “ସାରେ ଜହାଁ ସେ ଅଚ୍ଛା ହିନ୍ଦୋସ୍ତାନ ହମାରା" କବିତାର ସାରାଂଶ ।
ଆସ ଅନୁସନ୍ଧାନ କରିବା
ଶିକ୍ଷକ ପ୍ରସଙ୍ଗର ଶେଷରେ ଥିବା ପ୍ରାକୃତିକ ମାନଚିତ୍ରକୁ ଅନୁଧ୍ୟାନ କର । ସେଥିରେ ତୁମେ କ’ଣ ସବୁ ଦେଖିଲ ? ପୂର୍ବ ଶ୍ରେଣୀରେ ଆଲୋଚିତ ବିଭିନ୍ନ ପ୍ରକାର ଭୂମିରୂପ ଯଥା - ପର୍ବତ, ସମତଳଭୂମି ଓ ମାଳଭୂମି ତଥା ମରୁଭୂମିକୁ ମନେ ପକାଅ । ଭାରତର ମାନଚିତ୍ରରେ କେଉଁ କେଉଁ ଭୂମିରୂପକୁ ଲକ୍ଷ୍ୟ କଲ ? ମାନଚିତ୍ରରେ ବିଭିନ୍ନ ରଙ୍ଗ କାହିଁକି ବ୍ୟବହାର କରାଯାଇଥାଏ ? (ଏହି ମାନଚିତ୍ରରେ ପ୍ରଦତ୍ତ ସୂଚନା ଗୁଡ଼ିକ ବିଭିନ୍ନ ଅଞ୍ଚଳର ଉଚ୍ଚତା ଦର୍ଶାଏ) ।
ଏହି ଅଧ୍ୟାୟଟି ପଢ଼ିବା ବେଳେ ଆମେ ଭାରତର ପ୍ରାକୃତିକ ମାନଚିତ୍ରକୁ ବାରମ୍ବାର ଦେଖିବା ।
ଭାରତ ପୃଥିବୀର ସପ୍ତମ ବୃହତ୍ତମ ଦେଶ ଏବଂ ଏସିଆ ମହାଦେଶର ଏକ ଅଂଶ । ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ଏବଂ ମିଆଁମାର ଭାରତର ପଡ଼ୋଶୀ ଦେଶ, ଓ ଏହି ଗୁଡ଼ିକ ସହ ଭାରତ ଏକ ସ୍ୱତନ୍ତ୍ର ସୁସଂଗଠିତ ଭୂଖଣ୍ଡ ଗଠନ କରେ । ଏହି ଭୂଖଣ୍ଡକୁ ଭାରତୀୟ ଉପମହାଦେଶ କୁହାଯାଏ, ଯେହେତୁ ଏହା ଏସିଆ ମହାଦେଶର ଏକ ଅଂଶ । ଆଲୋଚନା ଦୃଷ୍ଟିରୁ ଭାରତକୁ ପାଞ୍ଚଗୋଟି ଭାଗରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା :
ଉତ୍ତର ବୃହତ ପର୍ବତମାଳା
ଗଙ୍ଗା ଓ ସିନ୍ଧୁ ବିଶାଳ ସମତଳ ଅଞ୍ଚଳ
ମରୁଭୂମି ଅଞ୍ଚଳ
ଦାକ୍ଷିଣାତ୍ୟ ମାଳଭୂମି
ଦ୍ୱୀପପୁଞ୍ଜ
ଆସ ଆମେ ଏଗୁଡିକ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିବା । ଭାରତ ଏକ ବିଶାଳ ତଥା ବିଭେଦତାପୂର୍ଣ୍ଣ ଦେଶ ହୋଇଥିବାରୁ ସେ ସମ୍ବନ୍ଧରେ ଟିକିନିଖି ବିବରଣୀ ତୁମମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।
ଭାରତର ଉତ୍ତରରେ ହିମାଳୟ ପର୍ବତମାଳା ଏକ ପ୍ରାକୃତିକ ପ୍ରତିବନ୍ଧକ ରୂପେ ରହିଅଛି । ପଶ୍ଚିମ ଭୂଭାଗରେ ଥର ମରୁଭୂମି ଏବଂ ନିମ୍ନଭାଗ ରୂପେ ଆରବ ସାଗର ଏହାର ପଶ୍ଚିମ ସୀମା ନିର୍ଦ୍ଧାରଣ କରୁଛି । ଦକ୍ଷିଣରେ ଭାରତ ମହାସାଗର ଓ ପୂର୍ବରେ ବଙ୍ଗୋପସାଗର ଏହାର ପ୍ରାକୃତିକ ସୀମା ନିର୍ବାଚନ କରୁଛି । ଏହି ଭୌଗୋଳିକ ବୈଶିଷ୍ଟ୍ୟ ଗୁଡ଼ିକ ଭାରତକୁ ଏସିଆର ଅନ୍ୟାନ୍ୟ ଅଞ୍ଚଳଠାରୁ ପୃଥକ କରୁଛି । ସର୍ବୋପରି ଭାରତର ଜଳବାୟୁ, ସଂସ୍କୃତି ଏବଂ ଇତିହାସ ଏକ ସ୍ୱତନ୍ତ୍ରତା ବହନ କରୁଛି ।
୧. ଅକ୍ଷାଂଶ ଓ ଦ୍ରାଘିମା ଗତ ବିସ୍ତୃତି
ଭାରତ ଏକ ବିଶାଳ ଦେଶ। ମାନଚିତ୍ରକୁ ଅନୁଧ୍ୟାନ କଲେ ଆମେ ଦେଖିବା ଯେ ଭାରତ ସମ୍ପୂର୍ଣ୍ଣ ଭାବେ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ।
ଅକ୍ଷାଂଶ: ମୁଖ୍ୟ ଭୂଭାଗ $8^\circ 4'$ ଉତ୍ତରରୁ $37^\circ 6'$ ଉତ୍ତର ଅକ୍ଷାଂଶ ମଧ୍ୟରେ।
ଦ୍ରାଘିମା: $68^\circ 7'$ ପୂର୍ବରୁ $97^\circ 25'$ ପୂର୍ବ ଦ୍ରାଘିମା ମଧ୍ୟରେ ବିସ୍ତୃତ।
୨. ମାନଚିତ୍ରରେ ରଙ୍ଗ ଓ ସୂଚକାଙ୍କର ଗୁରୁତ୍ୱ
ଭୌତିକ (Physical) ମାନଚିତ୍ରରେ ବ୍ୟବହୃତ ବିଭିନ୍ନ ରଙ୍ଗ ଭୂମିର ଉଚ୍ଚତା ଓ ପ୍ରକାରକୁ ସୂଚାଏ:
ଗାଢ଼ ବାଦାମୀ: ଅତ୍ୟଧିକ ଉଚ୍ଚ ପର୍ବତ ଶ୍ରେଣୀ (ଯଥା: ହିମାଳୟ)।
ହଳଦିଆ/ଫିକା ବାଦାମୀ: ମାଳଭୂମି ଅଞ୍ଚଳ।
ସବୁଜ: ସମତଳ ଭୂମି।
ନୀଳ: ଜଳଭାଗ (ନଦୀ, ହ୍ରଦ, ସମୁଦ୍ର)।
୩. ହିମାଳୟ ପର୍ବତମାଳା
ତୁମ ପାଠ୍ୟାଂଶର ଶେଷରେ ଥିବା "ହିମାଳୟ ପର୍ବତମାଳା" ବିଷୟରେ କିଛି ମୁଖ୍ୟ ତଥ୍ୟ:
ଏହା ଭାରତର ଉତ୍ତର ସୀମାରେ ଏକ ପ୍ରାକୃତିକ ପ୍ରାଚୀର ପରି ରହିଛି।
'ହିମାଳୟ'ର ଅର୍ଥ ହେଉଛି 'ବରଫର ଗୃହ' (ହିମ + ଆଳୟ)।
ଏହା ତିନୋଟି ମୁଖ୍ୟ ସମାନ୍ତରାଳ ଶ୍ରେଣୀରେ ବିଭକ୍ତ:
ହିମାଦ୍ରୀ (ଉତ୍ତର): ଏଠାରେ ପୃଥିବୀର ସବୁଠାରୁ ଉଚ୍ଚ ଶୃଙ୍ଗ ଗୁଡ଼ିକ ଅବସ୍ଥିତ।
ହିମାଚଳ (ମଧ୍ୟ): ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଏଠାରେ ଅଛି।
ଶିବାଲିକ (ଦକ୍ଷିଣ): ଏହା ସବୁଠାରୁ ନିମ୍ନ ପର୍ବତ ଶ୍ରେଣୀ।
ଆସ ମନେ ରଖୁବା
ନିକଟରୁ ଦେଖିଲେ ହିମାଳୟ ପର୍ବତମାଳା ଆକାଶକୁ ଛୁଇଁଲା ପରି ମନେହୁଏ । ବାସ୍ତବରେ ଏଥିରେ ଥିବା ଅନେକ ଗିରିଶୃଙ୍ଗର ଉଚ୍ଚତା ୮୦୦୦ ମିଟରରୁ ଅଧିକ । ମିଳିତ ଭାବେ ଏହି ସବୁ ଗିରିଶୃଙ୍ଗ ଗୁଡ଼ିକୁ ‘ଅଷ୍ଟ ସହସ୍ରାଗ’ (Eight Thousanders) ବୋଲି କୁହାଯାଏ । ଏହି ପର୍ବତମାଳା ଏସିଆର ଛଅଗୋଟି ଦେଶରେ ବ୍ୟାପ୍ତ । ସେଗୁଡ଼ିକ ହେଲା: ଭାରତ, ନେପାଳ, ଭୁଟାନ, ଚୀନ, ପାକିସ୍ଥାନ ଓ ଆଫଗାନିସ୍ଥାନ । ତୁମେ ପୃଥିବୀର ଉଚ୍ଚତମ ପର୍ବତର ନାମ ଜାଣିଛ କି? (ଉତ୍ତର: ମାଉଣ୍ଟ ଏଭରେଷ୍ଟ) ।
ଗ୍ରୀଷ୍ମ ଋତୁରେ ହିମାଳୟ ପର୍ବତମାଳାରେ ଥିବା ବରଫ ତରଳେ । ଏହା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଆଦି ପ୍ରମୁଖ ନଦୀଗୁଡ଼ିକୁ ଜଳ ଯୋଗାଇ ଥାଏ । ଏହି ନଦୀ ଓ ସେମାନଙ୍କ ଉପନଦୀ ଗୁଡ଼ିକ କୋଟି କୋଟି ଜନସାଧାରଣଙ୍କୁ ପାନୀୟ ଜଳ, କୃଷି ଓ କଳକାରଖାନାକୁ ଜଳ ଯୋଗାଇ ଥାଏ । ସେଥିପାଇଁ ହିମାଳୟକୁ "ଏସିଆର ଜଳଦୁର୍ଗ" (Water Tower of Asia) ଆଖ୍ୟା ଦିଆଯାଇଛି । ହିମାଳୟ ଅନେକ ସଂସ୍କୃତି, ଆସ୍ଥା ଓ ଉଦ୍ଭବ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତୀୟ ସଂସ୍କୃତିରେ ପର୍ବତଗୁଡ଼ିକୁ ପବିତ୍ର ବୋଲି ବିବେଚନା କରାଯାଏ । ସେଥିପାଇଁ ସେଠାରେ ଅନେକ ମଠ, ମନ୍ଦିରମାନ ଗଢ଼ି ଉଠିଛି । ଏହା ପୃଥିବୀର କୋଣଅନୁକୋଣରୁ ସନ୍ନ୍ୟାସୀ ଏବଂ ଭଗବତ ପ୍ରେମୀମାନଙ୍କୁ ପୂଜା ଧ୍ୟାନ ନିମନ୍ତେ ଆକର୍ଷିତ କରିଥାଏ ।
ମନେରଖ :
ଗଙ୍ଗାର ପ୍ରମୁଖ ଉପନଦୀ ଭାଗିରଥୀ ଉତ୍ତରାଖଣ୍ଡର ଗୋମୁଖ (ଗାଈର ମୁହଁ) ନାମକ ସ୍ଥାନରୁ ଉତ୍ପତ୍ତି ଲାଭ କରିଛି । ଗୋମୁଖ ସ୍ଥାନଟି ଗଙ୍ଗୋତ୍ରୀ ତୁଷାର ସ୍ରୋତର ନିମ୍ନଭାଗରେ ଅବସ୍ଥିତ । ଗଙ୍ଗୋତ୍ରୀ ହିମାଳୟରେ ପ୍ରବାହିତ ତୁଷାର ସ୍ରୋତଗୁଡ଼ିକ ମଧ୍ୟରେ ବୃହତ୍ତମ । ଗଙ୍ଗା ଏକ ପବିତ୍ର ନଦୀଭାବେ ବିବେଚିତ । ସୁତରାଂ ବହୁସଂଖ୍ୟାରେ ତୀର୍ଥଯାତ୍ରୀ ଏଠାକୁ ଆକର୍ଷିତ ହୋଇ ଆସିଥାନ୍ତି । ଗୋମୁଖ ମଧ୍ୟ ପର୍ବତାରୋହଣର ଏକ ଗନ୍ତବ୍ୟ ସ୍ଥଳ ।
ମନେରଖ - ଗଙ୍ଗାର ଉତ୍ପତ୍ତି ଗୋମୁଖରୁ ହିଁ ହୋଇଛି ।
ହିମାଳୟ ସୃଷ୍ଟି : “ଏକ କୌତୁହଳପ୍ରଦ କାହାଣୀ”
ନିୟୁତ ନିୟୁତ ବର୍ଷ ପୂର୍ବେ ଭାରତ ଗଣ୍ଡଓ୍ବାନା ଲାଣ୍ଡ (Gondwanaland) ନାମରେ ଏକ ବିଶାଳ ଭୂଭାଗର ଅଂଶ ଥିଲା । ଏହା ଆଫ୍ରିକା ମହାଦେଶର ପଡ଼ୋଶୀ ଥିଲା । ପରବର୍ତ୍ତୀ ସମୟରେ ଭାରତ ମୁଖ୍ୟ ଭାଗରୁ ବିଚ୍ଛିନ୍ନ ହେଲା ଏବଂ ଧୀରେ ଧୀରେ ଉତ୍ତର ଦିଗକୁ ଅଗ୍ରସର ହେଲା ।
ପ୍ରାୟ ୫୦ ନିୟୁତ ବର୍ଷ ପୂର୍ବେ ଏହା ୟୁରେସିଆ (ୟୁରୋପ + ଏସିଆ) ଭୂଭାଗର ନିକଟବର୍ତ୍ତୀ ହେଲା ଏବଂ ଏହା ସହ ଧକ୍କା ଖାଇଲା । ୟୁରେସିଆ ଭୂଭାଗକୁ ଠେଲିବା ଯୋଗୁଁ ତନ୍ମଧ୍ୟସ୍ଥ ସ୍ଥଳଭାଗ କୁଞ୍ଚିତ ହୋଇ ଉର୍ଦ୍ଧ୍ୱଗାମୀ ହେଲା । ଏହି ପ୍ରକ୍ରିୟାକୁ ଏକ ଗାଲିଚାକୁ ଠେଲିବା ଯୋଗୁ ସେଥିରେ ପଡ଼ୁଥିବା ଭାଙ୍ଗ ସହ ତୁଳନା କରାଯାଇପାରେ । ଏହିପରି ଭାବେ ବିଶାଳ ହିମାଳୟ ପର୍ବତ ସୃଷ୍ଟି ହୋଇଛି ।
ଆଶ୍ଚର୍ଯ୍ୟର କଥା ଭାରତ ଏବେ ବି ଧୀରେ ଧୀରେ ଉତ୍ତରସ୍ଥ ଏସିଆ ଦିଗରେ ଅଗ୍ରସର ହେଉଛି । ଏହି ଚଳନ ବାର୍ଷିକ ପ୍ରାୟ ପାଞ୍ଚ ସେଣ୍ଟିମିଟର ହାରରେ ହୋଇଥାଏ । ଏହା ଆମ କେଶର ବୃଦ୍ଧି ହାର ଠାରୁ ମଧ୍ୟ କମ୍ । ଏହାର ଅର୍ଥ ହିମାଳୟର ଉଚ୍ଚତା ଏବେ ବି ବୃଦ୍ଧି ପାଉଛି । ଏହି ବୃଦ୍ଧିହାର ଅତ୍ୟନ୍ତ ନଗନ୍ୟ ଏବଂ ବର୍ଷକୁ ପ୍ରାୟ ପାଞ୍ଚ ମିଲିମିଟର, ତେବେ ଏକ ନିୟୁତ ବର୍ଷରେ ଏହାର ଉଚ୍ଚତା ୫ କିଲୋମିଟର (୫୦୦୦ ମିଟର) ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ମନେରଖ
ହିମାଳୟ ଶବ୍ଦଟି ଦୁଇଟି ସଂସ୍କୃତ ଶବ୍ଦରୁ ଉଦ୍ଧୃତ – ହିମ + ଆଳୟ । ହିମ କହିଲେ ବରଫ ଓ ଆଳୟ ଅର୍ଥ ଘର । ତେଣୁ ହିମାଳୟର ପ୍ରକୃତ ଅର୍ଥ “ ବରଫର ଘର" ।
ହିମାଳୟ ପର୍ବତମାଳାକୁ ମୁଖ୍ୟତଃ ତିନିଗୋଟି ପର୍ବତଶ୍ରେଣୀରେ (Range) ବିଭକ୍ତ କରାଯାଇଛି ।
ହିମାଦ୍ରୀ (ବୃହତ ହିମାଳୟ) ହେଉଛି ହିମାଳୟର ସର୍ବୋଚ୍ଚ ଏବଂ ଦୁର୍ଗମ ଅଂଶ । ଏଥିରେ ମାଉଣ୍ଟ୍ ଏଭେରେଷ୍ଟ ଓ କାଞ୍ଚନଜଙ୍ଗା ଭଳି ନଭଶ୍ଚୁମ୍ବୀ ଗିରିଶୃଙ୍ଗ ରହିଛି । ଏହି ପର୍ବତଶ୍ରେଣୀ ବର୍ଷସାରା ବରଫାବୃତ୍ତ ରହିଥାଏ । ଜୀବନ ଏଠାରେ ଦୁର୍ବିସହ ହୋଇଥିବାରୁ କୌଣସି ଜନବସତି ଦେଖାଯାଏ ନାହିଁ ।
ହିମାଚଳ (ମଧ୍ୟ ହିମାଳୟ) ସର୍ବୋଚ୍ଚ ହିମାଳୟର ଦକ୍ଷିଣରେ ଅବସ୍ଥିତ । ଏଠାକାର ସୁଷମ ଜଳବାୟୁ, ସମୃଦ୍ଧ ଜୈବ ବିବିଧତା ଓ ଜନବସତି ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ନୈନିତାଲ (ଉତ୍ତରାଖଣ୍ଡ), ଦାର୍ଜିଲିଂ (ପଶ୍ଚିମବଙ୍ଗ), ସିମଲା (ହିମାଚଳ ପ୍ରଦେଶ) ଏବଂ ମଶୌରୀ (ଉତ୍ତରାଖଣ୍ଡ) ଆଦି ପ୍ରସିଦ୍ଧ ଶୈଳନିବାସମାନ ଏଠାରେ ରହିଛି ।
ଶିବାଲିକ୍ (ବାହ୍ୟ ହିମାଳୟ) ହିମାଳୟ ପର୍ବତମାଳାର ବାହ୍ୟାଂଶ ବା ଦକ୍ଷିଣ ଭାଗରେ ଅବସ୍ଥିତ ନିମ୍ନତମ ପର୍ବତଶ୍ରେଣୀ । ଏହା ଅନେକ ଛୋଟ ଛୋଟ ପାହାଡ଼କୁ ନେଇ ଗଠିତ ଓ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ଏହାର ପାଦଦେଶ ବନ୍ୟପ୍ରାଣୀ ସମୃଦ୍ଧ । ଏହି ଅଞ୍ଚଳଟି ହିମାଳୟ ଓ ଗାଙ୍ଗେୟ (ଉତ୍ତରସ୍ଥ ସମତଳ ଅଞ୍ଚଳ) ଅଞ୍ଚଳର ମଧ୍ୟସ୍ଥ ଅଞ୍ଚଳ ।