କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଆ ସାହିତ୍ୟର ଜଣେ ବଳିଷ୍ଠ ପ୍ରତିଭା। ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ପାଠକୀୟ ଶ୍ରଦ୍ଧା ଓ ସମ୍ମାନ ଲାଭ କରିଛନ୍ତି। ପାଠକୀୟ ରୁଚିକୁ ଲକ୍ଷ୍ୟ କରି ହୃଦୟସ୍ପର୍ଶୀ ଶୈଳୀରେ ସେ ତାଙ୍କର ସାହିତ୍ୟକୁ ରସାଣିତ କରିବାକୁ ଚେଷ୍ଟା କରିଥାନ୍ତି। ଲକ୍ଷ୍ମୀକାନ୍ତ ୧୮୮୮ ମସିହା, ଡିସେମ୍ବର ମାସ ୯ ତାରିଖରେ ଜନ୍ମ ହୋଇଥିଲେ। ସେ ଦିନ ହୋଇଥାଏ ମାଣବସା ଗୁରୁବାର। ତାଙ୍କ ଜନ୍ମସ୍ଥାନ ଥିଲା କଟକ ସହରର ଧୂଆଁପତ୍ରିଆ ଗଳି ବାଖରାବାଦରେ। ମାଣବସା ଗୁରୁବାରରେ ଜନ୍ମ ନେଇଥିବାରୁ ଓ ମାତାଙ୍କ ନାମ ରାଧାମଣି, ପିତା ଭାଗବତ ପ୍ରସାଦ ଥିଲେ ଭଦ୍ରକ ସହରର ଦଶ ମାଇଲ ପୂର୍ବ ଦିଗରେ ଅବସ୍ଥିତ ତାଳପଦା ଗ୍ରାମର ବାସିନ୍ଦା ଓ ସେଠାକାର ଜମିଦାର। ସେହିପରି ମାତା ଥିଲେ କଣ୍ଟାପଡ଼ା ଜମିଦାରଙ୍କ କନ୍ୟା। ବାଲେଶ୍ଵରରେ ପଢ଼ିବା ବେଳେ ଲକ୍ଷ୍ମୀକାନ୍ତଙ୍କର ସୁଚାରୁ ପ୍ରତିଭାର ପରିଚୟ ମିଳିଥିଲା। ଲକ୍ଷ୍ମୀକାନ୍ତଙ୍କ ଜନ୍ମ ବେଳକୁ ଭାଗବତ ପ୍ରସାଦ କଟକ ଏକାଡେମୀ ସ୍କୁଲରେ ଶିକ୍ଷକତା କରୁଥିଲେ।
ଶିକ୍ଷକତା ସାଙ୍ଗକୁ ସେ ମଧ୍ୟ ଆଇନ ପରୀକ୍ଷା ଦେବା ପାଇଁ ପାଠ ପଢ଼ି ପ୍ରସ୍ତୁତ ହେଉଥିଲେ। ଆଇନ ପରୀକ୍ଷାରେ ଭାଗବତ ପ୍ରସାଦ କୃତକାର୍ଯ୍ୟ ହେଲା ପରେ ସେ କଟକ ଛାଡ଼ି ବାଲେଶ୍ଵର ଚାଲିଗଲେ। ବାଲେଶ୍ୱରରେ ରହି ଓକିଲାତି କଲେ। ଯେହେତୁ ପିତା ଭାଗବତ ପ୍ରସାଦ ବାଲେଶ୍ଵରରେ ରହିଲେ, ସେଥିପାଇଁ ସେହି ବାଲେଶ୍ଵରରେ ହିଁ ଲକ୍ଷ୍ମୀକାନ୍ତଙ୍କର ବିଦ୍ୟାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଭଦ୍ରକରେ କୋର୍ଟ ଖୋଲିଯିବାରୁ, ଭାଗବତ ପ୍ରସାଦ ବାଲେଶ୍ଵର ଛାଡ଼ି ଭଦ୍ରକ ଚାଲି ଆସିଲେ। କୋର୍ଟରେ ଓକିଲାତି ସହିତ ସେ ଗ୍ରାମର ସମ୍ପତ୍ତି କଥା ବୁଝିବା ପାଇଁ ଭଦ୍ରକରେ ରହିଥିବାରୁ, ଲକ୍ଷ୍ମୀକାନ୍ତଙ୍କ ପାଠପଢ଼ା ଭଦ୍ରକରେ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଛାତ୍ର ଓ ଉତ୍ତମ ଖେଳାଳି ଭାବରେ ସମସ୍ତଙ୍କ ନିକଟରେ ସେ ପରିଚିତ ହୋଇଥିଲେ। ଭଦ୍ରକରେ ଥିବା ସମୟରେ ସେତେବେଳେ ଭାଗବତ ପ୍ରସାଦଙ୍କ ଦୂର ସମ୍ପର୍କୀୟ ଉମାଚରଣ ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିଲେ। ଲକ୍ଷ୍ମୀକାନ୍ତ ହଷ୍ଟେଲରେ ରହି ଉମାଚରଣଙ୍କ ତତ୍ତ୍ଵାବଧାନରେ ପାଠ ପଢ଼ିଲେ। ମାତ୍ର ସେଠାରେ ମଧ୍ୟ ସେ ପାଠ ପଢ଼ିବା ଅପେକ୍ଷା କ୍ରୀଡ଼ା, କବିତା ଲେଖା, ଆମୋଦ ପ୍ରମୋଦରେ ଅଧିକ ଆଗ୍ରହ ଥିବା କଥା ଉମାଚରଣ ଦେଖୁଥିଲେ।
ଉମାଚରଣ ଉଚ୍ଚଶିକ୍ଷା ପାଇଁ କଲିକତା ଚାଲିଗଲା ପରେ, ଲକ୍ଷ୍ମୀକାନ୍ତଙ୍କୁ ପୁଣି ବାଲେଶ୍ଵର ଜିଲ୍ଲା ସ୍କୁଲରେ ପଢ଼ିବାକୁ ହୋଇଥିଲା। ଏହି ବାଲେଶ୍ଵର ସ୍କୁଲରୁ ଲକ୍ଷ୍ମୀକାନ୍ତ ୧୯୦୭ ମସିହାରେ ଏଣ୍ଟ୍ରାନ୍ସ (ତତ୍କାଳୀନ ମାଟ୍ରିକ୍) ପାସ କଲେ। ଏଣ୍ଟ୍ରାନ୍ସ ପାସ୍ ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ. ପଢ଼ିଲେ। ଆଇ.ଏ. ପାସ୍ କରିବା ପରେ ବି.ଏ. ପଢ଼ିବା ପାଇଁ କଲିକତାର ରିପନ୍ କଲେଜରେ ନାମ ଲେଖାଇଲେ। ସେଠାରେ ଅସୁବିଧା ହେବାରୁ ଫେରିଆସି ପୁନର୍ବାର ରେଭେନ୍ସା ମହାବିଦ୍ୟାଳୟରେ ପଢ଼ି ବି.ଏ. ପାସ୍ କଲେ। ପାଠପଢ଼ା ଅପେକ୍ଷା ଲକ୍ଷ୍ମୀକାନ୍ତ, ଖେଳରେ ଓ ଗୋପୀଯନ୍ତ୍ର ବଜାଇ ସଙ୍ଗୀତ ଗାଇବାରେ ଅଧିକ ସମୟ ବ୍ୟୟ କରୁଥିଲେ। ଏହି ସମୟରେ ସେ ବାଲେଶ୍ଵର ସୁନହଟର ଲାଲମୋହନ ଦାସଙ୍କ କନ୍ୟା ଲବଙ୍ଗଲତାଙ୍କୁ ବିବାହ କରିଥିଲେ।
ସେ ସମୟରେ ଲଣ୍ଡନରେ ପଞ୍ଚମ ଜର୍ଜଙ୍କ ଅଭିଷେକୋତ୍ସବ ଉଦ୍ଦେଶ୍ୟରେ ଭାରତରେ ମହାସମାରୋହରେ ଉତ୍ସବ ପାଳନ ହେଉଥିଲା। ଏହି ଉପଲକ୍ଷେ ରେଭେନ୍ସା ମହାବିଦ୍ୟାଳୟରେ ୧୯୧୨ ମସିହାରେ ‘କାଞ୍ଚିକାବେରୀ’ ନାଟକ ମଞ୍ସ୍ଥ ହେଉଥିଲା। ଏହି ନାଟକରେ ଲକ୍ଷ୍ମୀକାନ୍ତ ଭଦ୍ରା ଓ ଭିକାରୁଣୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଗୋପୀଯନ୍ତ୍ର ବଜାଇ ଗୀତ ଗାଇ ଦର୍ଶକଙ୍କୁ ମୁଗ୍ଧ କରି ଦେଇଥିଲେ। ନାଟକର ନର୍ତ୍ତକୀ ଭାବରେ ନାଚି ନାଚି ଅନେକ ପ୍ରଶଂସା ପାଇଥିଲେ। ବି.ଏ. ପଢ଼ିଲା ବେଳେ କ୍ରୀଡ଼ା ରସିକ, ସଙ୍ଗୀତ- ପ୍ରିୟ, ଅଭିନେତା ଭାବରେ ସେ ଯେଭଳି ପରିଚିତ ଥିଲେ, ଠିକ୍ ସେହିପରି ‘ମୁକୁର’ ଓ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ଲେଖାଲେଖି କରି ସମ୍ପାଦକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏଣ୍ଟ୍ରାନ୍ସ ଅଧ୍ୟୟନ ସମୟରେ କବିତା ଲେଖି, ରେଭେନ୍ସା ଛାତ୍ରାବାସରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ।
ଆଇ.ଏ. ପଢ଼ିବା ବେଳେ ତାଙ୍କ ଲେଖାକୁ ଦେଖି ଫକୀରମୋହନ ସେନାପତି ପ୍ରଶଂସା କରିଥିଲେ। କ୍ରୀଡ଼ା, ସଙ୍ଗୀତ, ଅଭିନୟ, ସାହିତ୍ୟ ସାଧନା ବ୍ୟତୀତ ଲକ୍ଷ୍ମୀକାନ୍ତ ସମାଜସେବା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ରେଭେନ୍ସା କଲେଜର ଅଧ୍ୟାପକ ହେମଚନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ସେ ଅଗ୍ରଣୀ ସ୍ୱେଚ୍ଛାସେବୀ ଭାବରେ ଦୀନ, ଦୁଃଖୀ, ବ୍ୟାଧି ପୀଡ଼ିତଙ୍କର ସେବା କରୁଥିଲେ। ଏହି ସମୟରେ ପାଠ୍ୟପୁସ୍ତକ ବ୍ୟତୀତ ସେ ଓଡ଼ିଆ ଓ ବଙ୍ଗଳା ଭାଷାରେ ବଛା ବଛା ଅନେକ ପୁସ୍ତକ ଅଧ୍ୟୟନ କରିଥିଲେ। କବିତା ଲେଖାଲେଖି କରୁଥିବାରୁ ସାଙ୍ଗସାଥୀମାନେ ତାଙ୍କୁ କାନ୍ତକବି ବୋଲି ଡାକୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ପରିଚିତ କରାଗଲା। ଏହି ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଚିନ୍ତାମଣି ମହାନ୍ତି ଏବଂ ଏହାର ମୁଖ୍ୟ ଉଦ୍ୟୋକ୍ତା ଥିଲେ ଲକ୍ଷ୍ମୀନାରାୟଣ ସାହୁ।
ଲକ୍ଷ୍ମୀକାନ୍ତ ବି.ଏ. ପାସ୍ କଲା ପରେ, ପୂର୍ବରୁ ଅଭିଭାବକ ଭାବରେ ପରିଚିତ ଥିବା ଉମାଚରଣ ଦାସଙ୍କୁ ଦେଖା କରିବାକୁ ପୁରୀ ଗଲେ। ସେଠାରେ ଜଗନ୍ନାଥ ଦର୍ଶନ କରି, ବି.ଏଲ୍. ପଢ଼ିବାର ପରାମର୍ଶ ନେଇ ଲକ୍ଷ୍ମୀକାନ୍ତ ଘରକୁ ଫେରିଲେ। ଘରକୁ ଫେରିବା ପରେ ତାଙ୍କୁ ଜ୍ଵର ହେଲା। ଜ୍ଵର ଛାଡ଼ିଯିବା ପରେ ଦେହରେ ସେକାଳର ଦୁରାରୋଗ୍ୟ ବ୍ୟାଧିର ଉପସର୍ଗ ପ୍ରକାଶ ପାଇଲା। ପିତା ଭାଗବତ ପ୍ରସାଦ ପୁତ୍ରର ଚିକିତ୍ସା କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଲକ୍ଷ୍ମୀକାନ୍ତଙ୍କ ଶରୀର ବ୍ୟାଧି ପାଇଁ ବିକଳାଙ୍ଗ ହୋଇଗଲା। କୁଳଗୁରୁ ବାବାଜୀ ରାମଦାସଙ୍କଠାରୁ ସେ ଦୀକ୍ଷା ଗ୍ରହଣ କଲେ ଏବଂ ତାଙ୍କରି ପରାମର୍ଶରେ କୁଳଦେବତା ଗୋପୀନାଥଙ୍କ ପ୍ରତି ସମର୍ପିତ ହେଲେ। ସଦାସର୍ବଦା ଭଜନ କୀର୍ତ୍ତନ କରି ନିଜ ଜୀବନର ଗତିପଥକୁ ବଦଳାଇ ଦେଲେ।
ଲକ୍ଷ୍ମୀକାନ୍ତ ତାଙ୍କ ପିତାଙ୍କର ଥିଲେ ଜ୍ୟେଷ୍ଠ ସନ୍ତାନ। ସାନଭାଇ ତିନିଜଣ ଓ ସାନଭଉଣୀ ଆଠଜଣଙ୍କୁ ନେଇ ତାଙ୍କର ପରିବାର ଥିଲା। ପିତା ଭାଗବତ ପ୍ରସାଦ ସଦାସର୍ବଦା ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ। ବଡ଼ପୁଅର ଏଭଳି ଅବସ୍ଥା ଦେଖି, ତାହାର ଭବିଷ୍ୟତ ପାଇଁ ସେ ଇଷ୍ଟଦେବ ଗୋପୀନାଥଙ୍କ ନାମରେ ଥିବା ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ କରାଇ ଦେଇଥିଲେ। ଏଥିପାଇଁ ଲକ୍ଷ୍ମୀକାନ୍ତଙ୍କୁ ଭାଇଆଳିଆ ସ୍ତରର ନାନାଦି ଈର୍ଷା ଓ ମାଲିମୋକଦ୍ଦମାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶାରୀରିକ ଓ ମାନସିକ କଷ୍ଟ ପାଉଥିବା ବେଳେ, ସେ ସାହିତ୍ୟ, ସଙ୍ଗୀତ, ସଂକୀର୍ତ୍ତନ, ଇଷ୍ଟପୂଜା, ଗୁରୁବାଣୀ ପାଳନ କରି ନିଜ ମନକୁ ସାନ୍ତ୍ଵନା ଦେଉଥିଲେ। ଏହି ସମୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଭାଷାଭିତ୍ତିକ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଚାଲିଥାଏ। ‘ଉତ୍କଳ ସମ୍ମିଳନୀ’ ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ପାଇଁ ଯୋଜନା ହେଉଥାଏ। ୧୯୧୨ ମସିହାରେ ଲକ୍ଷ୍ମୀକାନ୍ତଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଉତ୍କଳ ସମ୍ମିଳନୀର ଅଧିବେଶନରେ ଗାନ କରାଯାଇ ପ୍ରସିଦ୍ଧି ଲାଭ କରିଥିଲା।
୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ ମହାତ୍ମା ଗାନ୍ଧୀ। ସେ ଅସହଯୋଗ ଆନ୍ଦୋଳନ ସମୟରେ ଅନେକ ଗଦ୍ୟରଚନା ଲେଖୁଥିଲେ। ଏହି ଲେଖା ‘ଉତ୍କଳ ସାହିତ୍ୟ’ ପତ୍ରିକାର ପାଞ୍ଚଟି ସଂଖ୍ୟାରେ ପ୍ରକାଶ ପାଇଥିଲା। ପୁନଶ୍ଚ ବାଲେଶ୍ଵରରୁ ପ୍ରକାଶ ପାଉଥିବା ସାପ୍ତାହିକ ‘ପ୍ରଜାତନ୍ତ୍ର’ରେ କଂଗ୍ରେସର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଭୂମିକାକୁ ଲକ୍ଷ୍ୟ କରି ବ୍ୟଙ୍ଗ ବିଦ୍ରୁପଧର୍ମୀ ‘ପଞ୍ଚାମୃତ’ ନାଟିକା ପ୍ରକାଶ କରିଥିଲେ। ଏହି ସମୟରେ ଅନେକ ଲାଳିକା, କବିତା, ଜାତୀୟ ସଙ୍ଗୀତ, ‘କଣାମାମୁ’ ଉପନ୍ୟାସ ଏବଂ ନାଟକାଦି ରଚନା କରିଥିଲେ। ସେହି ସମୟରେ ବ୍ରିଟିଶ୍ ସରକାରଙ୍କର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନ୍ସିଲ୍ ସଭ୍ୟପଦରୁ ଇସ୍ତଫା ଦେଇଥିଲେ। ଲକ୍ଷ୍ମୀକାନ୍ତଙ୍କ ସାନଭାଇ କମଳାକାନ୍ତ, ଭଉଣୀ କୋକିଳା ଦେବୀ ଓ ଜାହ୍ନବୀ ଦେବୀ, ଭଣଜା ଗୌର ଗୋପାଳ ଦାସ, ଦୁଇ ପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ।
ଦେଶାତ୍ମବୋଧ ଚିନ୍ତା ଚେତନାରେ ଲକ୍ଷ୍ମୀକାନ୍ତଙ୍କ ପରିବାର ଉଦ୍ବୁଦ୍ଧ ହୋଇଥିଲେ। ଫଳରେ ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ୍ ସରକାରଙ୍କର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନ୍ସିଲ୍ ସଭ୍ୟପଦରୁ ଇସ୍ତଫା ଦେଇଥିଲେ।
ଲକ୍ଷ୍ମୀକାନ୍ତ ନିଜର ନାଟ୍ୟ ପ୍ରତିଭାର ପରିଚୟ ଦେବାକୁ ଯାଇ ଗଠନ କରିଥିଲେ ‘ଗୋପୀନାଥ ସଙ୍ଗୀତ ସମାଜ’। ଏହା ପ୍ରଥମେ ଅପେରା ଏବଂ ପରେ ଥିଏଟରରେ ପରିଣତ ହୋଇଥିଲା। ଏହା ମାଧ୍ୟମରେ ଲକ୍ଷ୍ମୀକାନ୍ତ ‘ଶରଦ୍ରାସ’, ‘ବସନ୍ତ ବିଳାସ’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ’, ‘ବଂଶୀ ଶିକ୍ଷା’ ଆଦି ନାଟକ ନାଟିକା ରଚନା କରି ପରିବେଷଣ କରାଇଥିଲେ। ପରବର୍ତ୍ତୀ ସମୟରେ ସେ ‘ବେଶ ବଦଳା’, ‘ଶ୍ରୀଶ୍ରୀ ଗୌର ସନ୍ୟାସ’, ‘କଣ୍ଠ’, ‘ଲକ୍ଷ୍ମୀ ଚଣ୍ଡାଳୁଣୀ’ ନାଟକ ରଚନା କରି ଅଭିନୟ କରାଇଥିଲେ। ଏହି ନାଟ୍ୟ ସଂସ୍ଥା ପାଇଁ ଲକ୍ଷ୍ମୀକାନ୍ତଙ୍କର ରାସ ପ୍ରଣେତା ଗୋବିନ୍ଦ ସୁରଦେଓ, ମୋହନ ସୁନ୍ଦର ଦେବ ଗୋସ୍ବାମୀ, କୃଷ୍ଣ ପ୍ରସାଦ ବସୁ ଓ କାଳୀଚରଣଙ୍କ ସହିତ ନିବିଡ଼ ସମ୍ପର୍କ ସ୍ଥାପନ ହୋଇଥିଲା।
ଗୋପୀନାଥ ସଙ୍ଗୀତ ସମାଜ ଭାଙ୍ଗିଯିବା ପରେ ଲକ୍ଷ୍ମୀକାନ୍ତ ୧୯୨୯ରେ ‘ଗୋପୀନାଥ ପ୍ରେସ୍’ ଭଦ୍ରକରେ ସ୍ଥାପନ କଲେ। ଏହି ପ୍ରେସରୁ ୧୯୩୭ ମସିହାରେ ପ୍ରକାଶ ପାଇଲା ‘ଡଗର ପତ୍ରିକା’। ପରବର୍ତ୍ତୀ ସମୟରେ ସେ ‘ଡଗର’ ପତ୍ରିକାର ପ୍ରକାଶନ କଟକସ୍ଥ ପିଠାପୁରଠାରେ କରାଇଥିଲେ। ୧୯୪୮ ମସିହାରେ ଭଦ୍ରକର ତାଳପଦା ଏବଂ କଟକରେ ଅବସ୍ଥାନ କରି ଲୋକମାନଙ୍କ ମନରେ ରହିଥିବା ଅନ୍ଧବିଶ୍ବାସ ଦୂରୀକରଣ, କୁଟୀର ଶିଳ୍ପ ଆଦି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦେଇଥିଲେ। ଗାନ୍ଧୀ ଆଦର୍ଶ ଓ ବାଣୀ ପ୍ରତି ଅନୁରାଗୀ ହୋଇ ସେ ଅନେକ କବିତା ରଚନା କରିଥିଲେ। ଏହି କରିତ୍କର୍ମା, ଯଶସ୍ବୀ ସାଧକଙ୍କର ଅବସାନ ଘଟିଲା ୧୯୫୩ ମସିହା ଫେବୃଆରୀ ୨୪ ତାରିଖ ଦିନ ଭଦ୍ରକ ଭବନରେ।
କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଆ ଗଦ୍ୟ ଓ ପଦ୍ୟ ସାହିତ୍ୟକୁ ବହୁବିଧ ରଚନାରେ ସମୃଦ୍ଧ କରିଛନ୍ତି। ତାଙ୍କର ଅଧିକାଂଶ ରଚନାରେ ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୂପଧର୍ମୀ ଭାବ ଦେଖିବାକୁ ମିଳେ। ସତେ ଯେପରି ଅନ୍ୟକୁ ହସାଇବାର ଅଦ୍ଭୁତ ଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ। କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’କୁ ଅନୁସରଣ କରି ସେ ରଚନା କରିଛନ୍ତି ‘ଚଟକ ଚନ୍ଦ୍ରହାସ ଚମ୍ପୂ’। ସେହିପରି ଫକୀରମୋହନ ସେନାପତିଙ୍କ ‘ଉତ୍କଳ ଭ୍ରମଣ’ ଅନୁକରଣ କରି ‘କଟକ ସଫର’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘କଳାମାଣିକରେ’ ଛାନ୍ଦକୁ ଅନୁସରଣ କରି ‘ଧଳାମାଣିକରେ’ ଲାଳିକା ରଚନା କରିଥିଲେ। ନାଟ୍ୟ ସାହିତ୍ୟରେ ମଧ୍ୟ ଅନୁରୂପ ହାସ୍ୟଉକ୍ତି ଦେଖିବାକୁ ମିଳେ।
‘ଡିମ୍ବକ୍ରେସୀ ସଭା’, ‘ହନୁମନ୍ତର ବସ୍ତ୍ରହରଣ’, ’ଜର୍ମାନ ଭୂତ ଓ ବ୍ରିଟିଶ ଦୂତଙ୍କ ପ୍ରଶ୍ନୋତ୍ତର’ ଆଦି ତାଙ୍କର ପ୍ରହସନ ରଚନା। କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ସଫଳ ଶିଶୁ ସାହିତ୍ୟିକ। ତାଙ୍କ ଦ୍ବାରା ରଚିତ ‘ପିଲାଙ୍କ କଥା’ (ପୌରାଣିକ କାହାଣୀ ସଂକଳନ), ‘ଚିଡ଼ିଆଖାନା’ (ଜୀବଜନ୍ତୁ ସମ୍ବନ୍ଧୀୟ ପଦ୍ୟମୟୀ କୃତି) ଆଦି ଶିଶୁ ମନସ୍ତତ୍ତ୍ଵକୁ ସ୍ପର୍ଶକଲା ଭଳି ସାହିତ୍ୟ ସୃଷ୍ଟି। ଏତଦ୍ବ୍ୟତୀତ ପାଠ୍ୟପୁସ୍ତକ ଉଦ୍ଦେଶ୍ୟରେ ସେ ‘ପାଠମାଳା’ ଓ ‘ସାହିତ୍ୟ ସୁଧାକର’ ଭଳି ପୁସ୍ତକ ରଚନା କରିଛନ୍ତି।
ଲକ୍ଷ୍ମୀକାନ୍ତ ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ରଚନା କରି ଓଡ଼ିଆ ବାଣୀଭଣ୍ଡାରକୁ ଯଶସ୍ୱୀ କରିଛନ୍ତି। ଗଳ୍ପ ଦୃଷ୍ଟିରୁ ‘ବୁଢ଼ାଶଙ୍ଖାରି’ ତାଙ୍କର ସଫଳ ସୃଷ୍ଟି। ଏଥିରେ ପ୍ରେମ ଓ କରୁଣ ଭାବକୁ ନାୟକ ବୁଢ଼ାଶଙ୍ଖାରି ମାଧ୍ୟମରେ ଦେଖାଇ ଦିଆଯାଇଛି। ‘ଅସହଯୋଗୀର ଆତ୍ମକଥା’ରେ ହାସ୍ୟ ଓ ବିଦୁପଧର୍ମୀ ଭାବ ଉପସ୍ଥାପନା, ‘କଣାମାମୁ’ର ଜାତୀୟତାବାଦୀ ସଂଗ୍ରାମୀ ଗଳ୍ପର ଅସଂପୂର୍ଣ୍ଣ ରହିଯାଇଥିବା ଚରିତ୍ରକୁ ପାଠକ ବେଶ୍ ହୃଦୟର ସହିତ ଅନୁଭବ କରିଥାଏ। ଜଣେ ସଫଳ ପ୍ରାବନ୍ଧିକ ଭାବରେ ‘ହାସ୍ୟରସ’, ‘ସାହିତ୍ୟ ସୃଷ୍ଟିରେ ହାସ୍ୟରସ’, ‘କବି ଓ କବିତ୍ଵ’, ‘ଓଡ଼ିଆ ସଙ୍ଗୀତ’ ଆଦି ସେ ରଚନା କରିଛନ୍ତି। ‘ହାସ୍ୟରସ’ ସମ୍ବନ୍ଧରେ ଅଭିମତ ଦେଇ କହିଛନ୍ତି, ‘ତିଅଣରେ ଲୁଣ ଭଳି ସାହିତ୍ୟରେ ହାସ୍ୟରସ ଏକାନ୍ତ ଆବଶ୍ୟକ’। ‘ଗୋପବନ୍ଧୁଙ୍କ ସ୍ମୃତି’, ‘ସ୍ମୃତିପୂଜା’, ‘ଚିନ୍ତାମଣି ସ୍ମୃତି’, ‘ଖଣ୍ଡିଏ ଚିଠି’ କାନ୍ତକବିଙ୍କର ଜୀବନୀମୂଳକ ପ୍ରବନ୍ଧ ସୃଷ୍ଟି। ଅଙ୍ଗେନିଭା କଥାକୁ ନେଇ କାନ୍ତକବି ରଚନା କରିଛନ୍ତି ‘ନିଭୃତ ନିଶୀଥ’, ‘ରୋଗଶଯ୍ୟା’, ‘ଜୀବନ୍ତ ମରଣ’। ନିଜ ଜୀବନର ଅବସ୍ଥା ଓ ବିଶେଷ ସ୍ମୃତି ନେଇ ସେ ରଚନା କରିଛନ୍ତି ‘ବାଲ୍ୟସ୍ମୃତି’, ‘ଶୈଶବ ସ୍ମୃତି’, ‘କୈଶୋର ସ୍ବପ୍ନ’ ଓ ‘ଯୌବନ ପଥେ’।
କାନ୍ତକବିଙ୍କ ଦ୍ବାରା ରଚିତ ଲାଳିକାଗୁଡ଼ିକ ବେଶ୍ ହାସ୍ୟ ଉଦ୍ଦୀପକ। ସେଗୁଡ଼ିକ ହେଉଛି ‘ଅଲଣା ପୁରାଣ’, ‘ଯୁଗର ମଜା’, ‘ବିଡ଼ି ମହିମା’, ‘ଶୋକଗୀତ’, ‘ଗାନ୍ଧୀଗୋଳ’ ଇତ୍ୟାଦି। କବିବର ରାଧାନାଥ ରାୟଙ୍କ ରଚିତ ‘ଚିଲିକା’ ରୀତିରେ କବି ଲେଖିଛନ୍ତି ‘ବୈତରଣୀ’। ‘କଲ୍ଲୋଳ’ ଓ ‘ବିବିଧ କବିତା’ ସଂକଳନରେ ତାଙ୍କର ଅନେକ କବିତା ସଂଯୋଜିତ। ସେଗୁଡ଼ିକ ହେଲା ‘ଶ୍ମଶାନରେ ରାଧାନାଥ’, ‘ଶ୍ମଶାନରେ ମଧୁସୂଦନ’, ‘ମହାପ୍ରୟାଣ’, ‘ଆଷାଢ଼ ପ୍ରଥମ ଦିବସେ’, ‘ବର୍ଷା ସଙ୍ଗୀତ’, ‘ଶିଶୁ’, ‘ଶିଶୁର ଭାଷା’, ‘ଶିଶୁର ହସ’, ‘ମୋ ସଙ୍ଗୀତ’, ‘ଯୁଗାବତାର’ ଇତ୍ୟାଦି। ତାଙ୍କ ହୃଦୟର ଆଧ୍ୟାତ୍ମିକ ଚେତନା ସମ୍ବଳିତ କବିତା ସଂକଳନ ହେଉଛି ‘ଜୀବନ ସଙ୍ଗୀତ’। ଏହି କବିତା ସଂକଳନକୁ ଅନେକ ଆଲୋଚକ ବିଶ୍ୱକବି ରବିନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ ସହିତ ତୁଳନା କରିଛନ୍ତି। ଜାତୀୟ ଭାବ, ଦେଶପ୍ରୀତି ଓ ଜାତୀୟ ବୀର ବନ୍ଦନା କବିତାଗୁଡ଼ିକୁ ନେଇ କବି କରିଛନ୍ତି ‘ଜାତୀୟ ସଙ୍ଗୀତ’ କବିତା ସଂକଳନ।
ପୂର୍ବରୁ ପ୍ରକାଶ ପାଇଥିବା ‘ଦୁନ୍ଦୁଭି’ କବିତା ସଂକଳନରେ ସ୍ଥାନିତ ‘ବନ୍ଦେ ଉତ୍କଳ ଜନନୀ’, ‘ଜାତୀୟ ସଙ୍ଗୀତ’ ସଂକଳନଭୁକ୍ତ ହୋଇଛି । ଉକ୍ତ ସଂଗୀତଟିକୁ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଛନ୍ତି। ଏହି କବିତା ସଂକଳନରେ ‘କୋଟି କୋଟି କଣ୍ଠେ ଆଜି’, ‘ଉଡ଼ାଇ ନିଶାଣ ବଜାଇ ଭେରୀ’, ‘ସାଜରେ ସାଜରେ’ ‘ଭାଇମାନେ ହେ’ ଆଦି ଜାତୀୟ ଆହ୍ବାନମୂଳକ କବିତା ସ୍ଥାନିତ ହୋଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ବୈଷ୍ଣବ। ତାଙ୍କର ଲେଖାଗୁଡ଼ିକରେ ସ୍ଵଦେଶପ୍ରାଣତା, ଆଶାବାଦ ଓ ସୌନ୍ଦର୍ଯ୍ୟାଶ୍ରିତ ମହାନ୍ ଭାବନା ଦେଖିବାକୁ ମିଳେ। ଓଡ଼ିଆ ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗରେ ଲେଖନୀ ଚାଳନା କରି ସେ କେବଳ ବିଦଗ୍ଧ ପାଠକ କାହିଁକି ସମଗ୍ର ଓଡ଼ିଶାବାସୀଙ୍କ ନିକଟରେ ସଦା ଆଦରଣୀୟ ହୋଇ ରହିବେ।
କଠିନ ଶବ୍ଦାର୍ଥ ଓ ଟିପ୍ପଣୀ (ସଂଶୋଧିତ):
-
ବିବିଧ – ବିଭିନ୍ନ
-
ରୋଚକ – ରୁଚିକାରକ
-
ମାଣବସା – ମାର୍ଗଶିର ମାସ ଗୁରୁବାର ଦିନ ମାଣରେ ଧାନ ରଖି ଲକ୍ଷ୍ମୀଙ୍କର ପ୍ରତୀକ ଭାବରେ ପୂଜା କରାଯାଏ।
-
ତତ୍ତ୍ୱାବଧାନ – ଦାୟିତ୍ୱ ନେବା/ହେପାଜତ
-
କ୍ରୀଡ଼ା – ଖେଳ
-
ଗୋପୀଯନ୍ତ୍ର – ଏକ ପ୍ରକାର ବାଦ୍ୟଯନ୍ତ୍ର
-
ଅଭିଷେକୋତ୍ସବ – ଅଭିଷେକ ଉତ୍ସବ ଅର୍ଥାତ୍ ରାଜଗାଦି ବା ସିଂହାସନରେ ନୂତନ ରାଜା ବସିବା ବେଳେ ଆନନ୍ଦ ଉତ୍ସବ।
-
ଶ୍ରଦ୍ଧାଭାଜନ – ଶ୍ରଦ୍ଧାର ଯୋଗ୍ୟ
-
ଅଗ୍ରଣୀ – ଆଗୁଆ/ନେତୃତ୍ଵ
-
ସାନ୍ତ୍ଵନା – ଆଶ୍ଵାସନା
-
ଉଦ୍ବୁଦ୍ଧ – ଅନୁପ୍ରାଣିତ
-
ଅବସାନ – ଶେଷ ହେବା
-
ଇସ୍ତଫା – କାର୍ଯ୍ୟକାଳ ପୂରିବା ପୂର୍ବରୁ ନିଜ ଇଚ୍ଛାରେ କାର୍ଯ୍ୟରୁ ବାହାରି ଆସିବା
-
ଲାଳିକା – ଆମୋଦଜନକ ବ୍ୟଙ୍ଗ ରଚନା
-
ତିଅଣ – ତରକାରି
-
ଆଧ୍ୟାତ୍ମବାଦ – ଈଶ୍ଵର ବା ପରମାତ୍ମାଙ୍କ ଉପରେ ଆସ୍ଥା ସ୍ଥାପନ କରିବା।